ରାଜସଭାରେ ସମସ୍ତେ ହେଲେ ଉପସ୍ଥିତ,
ଗୁରୁ ବଶିଷ୍ଠ ସହ ସମସ୍ତ ପଣ୍ଡିତ । 1
ଅତି ଆଗ୍ରହରେ ଦୁଇ ଭାଇଙ୍କୁ ପାଖରେ,
ବସାଇ ରାଜନୀତିର ଉପଦେଶ ଦେଲେ । 2
ହିତୋପଦେଶ ଛଳରେ ଧର୍ମକଥାମାନ,
ଶ୍ରୀରାମ ବନଗମନ ନୃପଙ୍କ ମରଣ ।3
ଧାର୍ମିକ ନୃପତି ସତ୍ୟ ଲଂଘନ ନକଲେ,
ରାମଙ୍କୁ ବନେ ପଠାଇ ଦେହ ତ୍ୟାଗ କଲେ । 4
ଭରତ ଯେତେ ପ୍ରକାର କର୍ମର ବନ୍ଧନ,
ସାମାଜିକ ପଦ୍ଧତିରେ ହୋଇଛି ବର୍ଣ୍ଣନ । 5
ହାନି, ଲାଭ ଅପଖ୍ୟାତି , ବିଧାତା ଅଧୀନ,
ଭବିତବ୍ୟ ଲଂଘନକୁ ମନୁଷ୍ୟ ଅକ୍ଷମ । 6
ତେଣୁ ଯାହା ଘଟିଗଲା କାହା ପ୍ରତି ରୋଷ,
କହିବା ଉଚିତ ନୁହେଁ ଦେଇ ତାକୁ ଦୋଷ ।7
ନୃପଙ୍କ ବିୟୋଗ ନୁହେଁ ଦୁଃଖର କାରଣ,
ନୃପ ଧର୍ମ ମାର୍ଗେ କଲେ ପ୍ରଜାଙ୍କୁ ପାଳନ । 8
ତୁମ୍ଭ ପରି ଚାରିପୁତ୍ର ଛନ୍ତି ନୃପଙ୍କର,
ଚତୁର୍ଦ୍ଦଶ ଭୁବନରେ ଯଶ, କୀର୍ତ୍ତି ଯାର । 9
ବ୍ରହ୍ମା, ବିଷ୍ଣୁ, ଶିବ, ଇନ୍ଦ୍ର ଦିଗପାଳ ଗଣ,
କରୁଛନ୍ତି ଦଶରଥ ନୃପ ଗୁଣ ଗାନ । 10
ପ୍ରଭୁତ୍ବ ପଣରେ ଥିଲେ ଇନ୍ଦ୍ରଙ୍କ ସଦୃଶ,
ପ୍ରଜା ବୃଦ୍ଧି ଗୁଣେ ବ୍ରହ୍ମା ଶତ୍ରୁଙ୍କୁ ମହେଶ ।11
ପ୍ରଜାମାନଙ୍କୁ ପାଳନ୍ତି ବିଷ୍ଣୁଙ୍କ ପରାୟ,
ଅଯୋଧ୍ୟାର ପ୍ରଜା ଥିଲେ ନିର୍ଭୀକ ନିର୍ଭୟ ।12
ସେହି ମହାରାଜା ଯାକୁ ଦେଲେ ସିଂହାସନ,
ବେଦ ସମ୍ମତ ଗୃହୀତ ସର୍ବ ପ୍ରଜାଗଣ ।13
ଜ୍ୟେଷ୍ଠ ଭାଇ ଅଧିକାର ଯେଉଁ ସିଂହାସନ,
ତାକୁ କେଉଁଅଧିକାରେ କରିବ ଗ୍ରହଣ । 14
ଏହି ପରି ଗ୍ଲାନି ମନୁ ଦୂର କରିଦିଅ,
ଆମ୍ଭ ହିତ ଉପଦେଶ ମନେ ମାନି ନିଅ । 15
ତୁମ୍ଭେ ରାଜ ସିଂହାସନ କଲେ ଆରୋହଣ
ବନବାସେ ଖୁସି ହେବେ ଶ୍ରୀରାମ ଲକ୍ଷ୍ମଣ । 16
କେହି ମଧ୍ୟ ନକହିବେ କଲ ଅନୁଚିତ,
କୈାଶଲ୍ୟାଦି ମାତାମାନେ ହୋଇବେ ହର୍ଷିତ । 17
ତୁମ୍ଭ ଭାତୃପ୍ରେମ କଥା ଜାଣନ୍ତି ସମସ୍ତେ,
ସିଂହାସନେ ବସ କିଛି ସମୟ ପର୍ଯ୍ୟନ୍ତେ । 18
ରାମ ବନବାସ କରି ଅଯୋଧ୍ୟା ଫେରିଲେ,
ରାଜ୍ୟ ସମର୍ପଣ କରିଦେବ ସେତେବେଳେ । 19
ରାମ ସେବାରେ ନିଜକୁ ନିଯୋଗ କରିବ
ଦୁଇ ଭାଇ ମଧ୍ୟେ ଅନୁରାଗ ବୃଦ୍ଧି ହେବ । 20
ମନ୍ତ୍ରୀମାନେ ସଭା ମଧ୍ୟେ ଉପସ୍ଥିତ ଥିଲେ,
ଗୁରୁଙ୍କ ବାକ୍ୟେ ସମ୍ମତି ଦେଇଣ କହିଲେ । 21
ରାଜ କୁମାରଙ୍କୁ ଆମ୍ଭେ ଯୋଡ଼ି ବେନି କର,
କହୁଛୁ ଆଦେଶ ରକ୍ଷାକର ଗୁରୁଙ୍କର । 22
ବର୍ତ୍ତମାନ ରାଜପଦ କରନ୍ତୁ ଗ୍ରହଣ,
ଶ୍ରୀରାମ ଫେରିଲେ କରିଦେବେ ସମର୍ପଣ । 23
ମାତା କୈାଶଲ୍ୟା ସେଠାରେ ଧୈର୍ଯ୍ୟ ସହକାରେ,
ଭରତଙ୍କୁ ବୁଝାଇଲେ ସ୍ନେହ ପ୍ରେମ ସ୍ବରେ । 24
ପୁତ୍ର ଗୁରୁଙ୍କ ଆଦେଶ ଲଂଘନ ନକର,
ସମସ୍ତଙ୍କ ହିତେ ଗୁରୁ ଆଜ୍ଞା କାର୍ଯ୍ୟକର । 25
ନୃପ ସ୍ବର୍ଗ ପୁରେ, ରାମ ଅଛି ବନବାସେ,
ରାଜପୁର, ଜନପ୍ରଜା ପାଳିବ କିଏ ସେ ।26
ଦୁଃସମୟ କଥା ପୁତ୍ର ମନେ ଚିନ୍ତାକର,
ଗୁରୁଙ୍କ ଆଜ୍ଞାରେ ରାଜ୍ୟ ପାଳନ ତୁ କର । 27
ଏହାଠାରୁ ଅନ୍ୟ କିଛି ଉପାୟ ତ ନାହିଁ
ଅରାଜକ ଅଯୋଧ୍ୟାକୁ କର ପୁତ୍ର ତ୍ରାହି । 28
ଗୁରୁଦେବଙ୍କ ଆଦେଶ ମନ୍ତ୍ରୀ ସମର୍ଥନ ,
ମାତାଙ୍କ ହିତୋପଦେଶ ଭରତ ସ୍ମରିଣ । 29
ସମସ୍ତଙ୍କ କଥା ହିତ ଅମୃତ ସଦୃଶ,
କିନ୍ତୁ ଭରତଙ୍କ ମନେ ନଦେଲା ସନ୍ତୋଷ । 30
ପିତା ସ୍ନେହୀ, ଭାତୃପ୍ରେମୀ ପରମ ଧାର୍ମିକ,
କରଯୋଡ଼ି ସଭାମଧ୍ୟେ କହିଲେ ଏ ବାକ୍ୟ । 31
ଗୁରୁଦେବ ଦେଲେ ମୋତେ ହିତ ଉପେଦଶ,
ମନ୍ତ୍ରୀମାନଙ୍କ ସମ୍ମତ ତହିଁରେ ବିଶେଷ । 32
ମୋର ରାଜା ହେବା ମାତା କହିଲେ ଉଚିତ,
ଗୁରୁଜନ ସବୁବେଳେ କହିଥାନ୍ତି ହିତ । 33
ସେମାନଙ୍କ ଉପଦେଶ କଥାକୁ ପାଳନ,
ଧର୍ମ ଶାସ୍ତ୍ରାନୁମୋଦିତ ଭାବୁଛି ମୁଁ ମନ । 34
କିନ୍ତୁ ମୋହର କର୍ତ୍ତବ୍ୟ ଏହାର ବିରୁଦ୍ଧ,
ରାଜ ସିଂହାସନ ମୋତେ ଲାଗେ ପାପବୋଧ । 35
ଆପଣମାନେ ସମସ୍ତେ ଉଚିତ ଭାଷିଲେ,
ସରଳ ହୃଦୟେ ରାଜା ହେବାକୁ କହିଲେ । 36
ସେ ସବୁ କଥା ମନରେ କରିଲେ ବିଚାର,
ପ୍ରାଣ ମୋର ବିଚଳିତ ହୃଦୟ ଅଧୀର ।37
ମୋହର ବିନତୀ ସର୍ବେ ଗ୍ରହଣ କରନ୍ତୁ,
ଦୋଷ ନଧରି ମନରେ କ୍ଷମା କରିଦ୍ୟନ୍ତୁ । 38
ଯେଉଁ ରାଜ୍ୟ ପାଇଁ ରାମ ବନବାସୀ ହେଲେ,
ସେଥିପାଇଁ ପିତା ନିଜ ଶରୀର ତ୍ୟାଗିଲେ । 39
ସେହି ରାଜ୍ୟ ସିଂହାସନେ ମୋତେ ବସିବାକୁ,
କହୁଛନ୍ତି ବସି ପାଳ ଅଯୋଧ୍ୟାବାସୀଙ୍କୁ ।40
ଏଥିରେ ମଙ୍ଗଳ ହେବ ସର୍ବ ଜନଙ୍କର,
ବଡ଼ କାମ ହୋଇଗଲା ଭାବିବି ମନର । 41
କିନ୍ତୁ ମନରେ ମୋହର ଏକଥା ବିଚାର,
କଉଣସି କାଳେ ନୁହେଁ ମଙ୍ଗଳ ମୋହର । 42
ଶ୍ରୀରାମ ସେବାରେ ମାତ୍ର ମୋହର ମଙ୍ଗଳ,
ବିଧାତା ଘଟାଇ ଅଛି ବିପରୀତ ଫଳ । 43
ମାତା ମୋର ଛାର ମାତ୍ର ଦାସୀର କୂଟରେ
ପଡ଼ି ଅଯୋଧ୍ୟା ସୈାଭାଗ୍ୟ କଳଙ୍କିତ କଲେ । 44
ଯେଉଁ ରାଜ୍ୟରେ ନାହାଁନ୍ତି ଶ୍ରୀରାମ, ଲକ୍ଷ୍ମଣ,
ମାତା ଲକ୍ଷ୍ମୀ ବଇଦେହୀ ପିତା ନର ରାଣ । 45
ସେ ରାଜ୍ୟକୁ ମୁହିଁ ମନେ କରେ ହତଶିରୀ,
ବଇରାଗ ବିହୀନରେ ଯଥା ବ୍ରହ୍ମଚାରୀ ।46
ବତ୍ସ୍ର ବିହୀନ ଶରୀରେ ଅଳଙ୍କାର ମାନ,
ଶୋଭା ଦିଶିବକି କେବେ ବିଚାରନ୍ତୁ ମନ । 47
ପ୍ରାଣ ବିହୀନ ସୁନ୍ଦର କାୟେ କାର୍ଯ୍ୟ କିସ,
ହରି ଭକ୍ତି ବିହୀନରେ ଯୋଗ ମାତ୍ର କ୍ଳେଶ । 48
ଶ୍ରୀରାମ ନଥିଲେ ରାଜ୍ୟେ ସବୁ ଅକାରଣ,
ଶ୍ରୀରାମଙ୍କୁ ନଦେଖିଲେ ହୀନ ମୋ ପରାଣ । 49
ମୋର ପ୍ରିୟ ଶ୍ରୀରାମଙ୍କୁ ଆଣିବା ନିମନ୍ତେ,
ଆଦେଶ କରନ୍ତୁ ମୋତେ ଯିବି ମୁଁ ବନସ୍ତେ । 50
ଯେଉଁପରି ଯୋଗୀ ଜପେ ମନ୍ତ୍ର ଏକାକ୍ଷର,
ଶ୍ରୀରାମ ସ୍ମରଣ ମାତ୍ର ହୋଇଛି ମୋହର । 51
ଏହାଛଡ଼ା ଅନ୍ୟ ଗତି ନାହିଁ ମୋର କିଛି,
ସତ୍ୟ କରି ସମସ୍ତଙ୍କ ସମ୍ମୁଖେ କହୁଛି । 52
ଆପଣମାନେ ଏକଥା ଭୁଲି ଯାଇଛନ୍ତି,
ସ୍ନେହ ବଶେ ରାଜ୍ୟ ପାଳ ବୋଲି କହୁଛନ୍ତି । 53
ମୋ ନିମସ୍ତେ ରାମସୀତା ଗଲେ ବନବାସ,
ମୋହଠାରୁ ପାପୀ କିଏ ଅଛି ଏ ତ୍ରିଦଶ । 54
ସାଧୁ ସ୍ବଭାବର ଲୋକ ରାଜ୍ୟକୁ ଶାସନ,
କରିଥାନ୍ତି କେଉଁ ପରି ହେବି ମୁଁ ଭାଜନ । 55
ମୋ ନିମନ୍ତେ ଘଟିଅଛି ଅନର୍ଥ ସକଳ,
ପୁଣି ମୋତେ କହୁଛନ୍ତି ଅଯୋଧ୍ୟାକୁ ପାଳ । 56
ଶ୍ରୀରାମଙ୍କର ହୃଦୟ ସରଳ ପବିତ୍ର,
ସଂସାର ଲାଳସା ତହିଁ ନାହିଁ ତିଳେ ମାତ୍ର । 57
ସମଦଶୀ ସେ ପ୍ରଭୁ ନ୍ୟାୟ ପରାୟଣ,
ହତଭାଗା ପୁତ୍ର ମୁହିଁ ମାତା ପାପ ପ୍ରାଣ । 58
ଆପଣମାନେ ଯାହାକୁ କହନ୍ତି ମଙ୍ଗଳ,
ମୁହିଁ ଭାବୁଅଛି ତାହା ମୋର ପାପ ଫଳ । 59
ମାତା ଦେଇଛନ୍ତି ଯେଉଁ କଳଙ୍କର ଟୀକା,
ରାମ ଭକ୍ତି ସ୍ନେହେ ପ୍ରେମେ ଲିଭିବ ସେ ଏକା । 60
ଗୁରୁ ବଶିଷ୍ଟ ମୋହର ସର୍ବଜ୍ଞ ପଣ୍ଡିତ,
ଜ୍ଞାନୀ ଓ ବିଚାରବନ୍ତ ଜାଣନ୍ତି ଜଗତ । 61
ସାମାନ୍ୟ ନିନ୍ଦା ପ୍ରଶଂସା ନାହିଁ ତାଙ୍କ ହୃଦେ,
ସିଂହାସନେ ବସିବାକୁ ଆଦେଶିଲେ ହାଦେ । 62
ଏବେ ମୁଁ ଭାବୁଛି ସର୍ବେ ମୋ ପ୍ରତି ବିମୁଖ,
ହୋଇଛନ୍ତି ଅଯୋଧ୍ୟାର ଜନ ପ୍ରଜାଯାକ । 63
ସୀତାରାମ ବିନା ସର୍ବେ କହିବେ ଏ କଥା,
ରାମ ବନବାସ ମୂଳ ଭରତ ସର୍ବଥା । 64
ବ୍ରହ୍ମାଣ୍ଡ ନୀଚ କହିଲେ ନାହିଁ ମୋର ଭୟ,
ନରକରେ ବାସ ମୋତେ ନକରେ ଅଥୟ । 65
କେବଳ ଦହୁଛି ମୋତେ ଭରତ ନିମନ୍ତେ,
ରାମ ସୀତା ଦୁଃଖ ଭୋଗ କରିଲେ ବନସ୍ତେ । 66
ସକଳ ବିଳାସ ତ୍ୟାଗ କରି ଲଇକ୍ଷଣ,
ଅନୁଗାମୀ ହୋଇ କଲା ବନକୁ ଗମନ । 67
ରାମ ବନବାସ ହେତୁ ମୋହର ଜନମ,
ବୃଥା ମୋ ଜୀବନ ସବୁ କାର୍ଯ୍ୟ ଅକାରଣ । 68
ସମସ୍ତଙ୍କ ପଦତଳେ ମସ୍ତକ ନୂଆଁଇ,
କହୁଛି ମୋର ବେଦନା ଅନ୍ତର ଦହଇ । 69
ରାମଙ୍କ ପଦ ଦର୍ଶନ ବିନା ଶୋକ ମୋର,
ମୋ ହୃଦୟ ଜୀବନରୁ ହେବ ନାହିଁ ଦୂର । 70
ଅନ୍ୟ ଉପାୟ କୈାଣସି ଜଣାଯାଉନାହିଁ,
ଶ୍ରୀରାମ ଦର୍ଶନ ବିନା ମୋର ଶାନ୍ତି କାହିଁ? । 71
ତେଣୁ କାଲି ପ୍ରଭାତରୁ ଶ୍ରୀରାମ ନିକଟ,
ଯାଇ ବନ ମଧ୍ୟେ ପ୍ରଭୁ ହୋଇବଇଁ ଭେଟ । 72
ଶ୍ରୀରାମ ଅଭୟ ପାଦେ ଯାହା ଦୋଷ ମୋର,
କ୍ଷମା କରିଦେବେ ପ୍ରଭୁ କ୍ଷମାର ସାଗର । 73
ସୁମହତ ପୁରୁଷ ସେ ଶତୃ ମିତ୍ର ସମ,
ସରଳତା, କ୍ଷମା, ସ୍ନେହ, ଦୟାରେ ଅସୀମ । 74
ମୋହର ବାଳକ ବୁଦ୍ଧି ପ୍ରଭୁଙ୍କ ସେବକ,
କ୍ଷମା କରିଦେବେ ମୋର ଦୋଷ କର୍ମ ଯାକ । 75
ଆପଣେ କୁଶଳ ପାଞ୍ଚି ଆଶୀର୍ବାଦ କର,
ଶ୍ରୀରାମ ଫେରି ଆସନ୍ତୁ ବିନୟେ ମୋହର । 76
ଭରତଙ୍କ ହୃଦୟର ସୁସ୍ନେହ ବଚନ,
ଶୁଣି ସଭାସଦ ସର୍ବେ କଲେ ଧନ୍ୟ ଧନ୍ୟ । 77
ଶ୍ରୀରାମ ବିଛେଦେ ସର୍ବେ ଦୁଃଖିତ ଯେ ଥିଲେ,
ପ୍ରଭୁଙ୍କ ପାଖେ ଭରତ ଯିବାର ଶୁଣିଲେ । 78
ଗୁରୁ ବଶିଷ୍ଟ, ସୁମନ୍ତ୍ର ସର୍ବ ମାତୃବୃନ୍ଦ,
ପୁର ଜନବାସୀ ସର୍ବେ ପରମ ଆନନ୍ଦ । 79
ସାଧୁ ସାଧୁ ତବ ବାକ୍ୟ ଭରତ ମହାନ,
ଶ୍ରୀରାମ ପ୍ରେମ ବ୍ୟତୀତ ନଚିନ୍ତିବ ଆନ । 80
ଶ୍ରୀରାମ ଯେଉଁ ସ୍ଥାନରେ ବନରେ ଅଛନ୍ତି,
ସେଠାକୁ ଯିବେ ନିଶ୍ଚୟ ଭରତଙ୍କ ଉକ୍ତି । 81
ଭରତଙ୍କ ପକ୍ଷେ ଏହା ଉତ୍ତମ ଭାବନା,
ଆମ୍ଭଙ୍କୁ ଭରସା ଦେଲେ ସାଧୁ ମହାମନା । 82
ବନକୁ ଯାଇ ଶ୍ରୀରାମ କରିବା ଦର୍ଶନ ,
କାଲି ପ୍ରଭାତରୁ ବନ କରିବା ଗମନ । 83
ସର୍ବେ ଯିବାକୁ ଚାହିଁଲେ ଭରତ ସଙ୍ଗତେ,
ରାମ ସୀତାଙ୍କୁ ଦର୍ଶନ କରିବେ ବନସ୍ତେ । 84
କୁହାକୁହି ହେଲେ ନାହିଁ କାହାକୁ ବାରଣ,
କାହାର ପ୍ରିୟ ନୁହଁନ୍ତି ଶ୍ରୀରାମ ଲକ୍ଷ୍ମଣ । 85
ସେହି ସର୍ବଜନ ପ୍ରିୟ ପ୍ରଭୁଙ୍କୁ ଦର୍ଶନ
ଲାଭ ପାଇଁ କାହାର ଯେ ନବଳିବ ମନ । 86
ଘର, ଭାଇ, ବନ୍ଧୁ ପିତାମାତା, ସହୋଦର
ଶ୍ରୀରାମଙ୍କ ଭକ୍ତି ବିନା ସବୁ ତ ଅସାର । 87
ପ୍ରତି ଘରେ ସଜାହେଲା ଆନନ୍ଦେ ବାହନ,
କାଲି ପ୍ରଭାତରୁ ବନ କରିବେ ଗମନ । 88
ଭରତ ବିଚାର ମନେ କରିଲେ ଏସନ,
ଯଦି ପୁର ଛାଡି ବନେ ଯିବେ ସର୍ବ ଜନ । 89
ପ୍ରଭୁଙ୍କ ସମ୍ପତ୍ତି ନଷ୍ଟ ହୋଇବ ଏଠାରେ
ପ୍ରଭୁ ଦ୍ରୋହ କାର୍ଯ୍ୟ ହେବ ମୋହର ପକ୍ଷରେ ।90
ବିଶ୍ବାସୀ ସେବକେ ଡାକି ଭରତ କହିଲେ,
କର୍ତ୍ତବ୍ୟ ପାଳନ କର ରହି ଅଯୋଧ୍ୟାରେ ।91
ଯେଉଁ କାର୍ଯ୍ୟକୁ ଯେ ଭୃତ୍ୟ ଅଟେ ଉପଯୁକ୍ତ,
ଧର୍ମ ମର୍ମ ବୁଝାଇଣ କଲେ ତାକୁ ନ୍ୟସ୍ତ । 92
କଉଶଲ୍ୟା , ଦେବୀ ପୁରେ ହୋଇ ଉପଗତ,
ବନେ ଯିବା ଅନୁମତି ମାଗିଲେ ଭରତ । 93
ମାତାଙ୍କ ଚଳନ ପାଇଁ ସୁବିଧା ବାହନ,
ଗୁରୁ ବଶିଷ୍ଟଙ୍କ ପାଇଁ ସୁସଜ୍ଜିତ ଯାନ । 94
ଅଭିଷେକ ଦ୍ରବ୍ୟ ଯେତେ ସଙ୍ଗରେ ନେବାକୁ,
ଡାକି ଭରତ କହିଲେ ସୁମନ୍ତ୍ର ମନ୍ତ୍ରୀଙ୍କୁ ।95
ପ୍ରଭୁଙ୍କ ତିଳକ କାର୍ଯ୍ୟ ହେବ ସେହି ଠାରେ,
ଶୁଣି ମନ୍ତ୍ରୀ ଗଜ ବାଜି ରଥ ସଜାଡ଼ିଲେ । 96
ବ୍ରାହ୍ମଣମାନଙ୍କ ପାଇଁ ସ୍ବତନ୍ତ୍ର ବାହନ,
ଭରତ ନିର୍ଦ୍ଦେଶେ ମନ୍ତ୍ରୀ କଲେ ଆୟୋଜନ ।97
ପ୍ରଭାତ ହୁଅନ୍ତେ ସର୍ବେ ଯେ ଯାହା ଯାନରେ,
ଆରୋହୀ ଯିବାକୁ ବ୍ୟଗ୍ର ହୋଇଣ ରହିଲେ । 98
ପ୍ରଥମେ ଚଳିଲେ ଗୁରୁ ବଶିଷ୍ଟ ମହର୍ଷି,
ଚତୁରଙ୍ଗ ସୈନ୍ୟ ଦଳ ତାଙ୍କ ପଛେ ଆସି । 99
ସମସ୍ତଙ୍କ ପଛେ ରାମ ସୀତାଙ୍କୁ ସ୍ମରଣ
କରି ଗମନ କରିଲେ ଭରତ ,ଶତୃଘ୍ନ । 100
ଦୁଇ ଭାଇଙ୍କ ପବିତ୍ର ପଦ ଶ୍ରୀଚରଣ
ଧ୍ୟାୟୀ ପୂର୍ଣ୍ଣ ଦାଶ ରଚୁଅଛି ରାମାୟଣ । 101