ବନ୍ଦନା

ଡ. ପୂର୍ଣ୍ଣଚନ୍ଦ୍ର ଦାଶ

ନମସ୍ତେ ମା ସରସ୍ବତୀ ବିଦ୍ୟା ପ୍ରଦାୟିନୀ ।
ତୁମ ପାଦତଳେ ମାତ କରୁଛି ଦୟିିନୀ ॥ ୧ ॥
ତୁମ ଦୟା ବଳେ ମୂର୍ଖ ହୁଅଇ ପଣ୍ଡିତ ।
ଦେଖାଅ ଦିବ୍ୟ ମାର୍ଗକୁ ହୃଦେ ହୋଇ ସ୍ଥିତ ॥ ୨ ॥
ସର୍ବ ମଙ୍ଗଳ ଅର୍ଥକୁ ମାତ ଦିଅ କହି ।
ତୁମ ବିନୁ ଅକିଞ୍ଚନ ସାହା କେହି ନାହିଁ ॥ ୩ ॥
ବଳାଇଛି ମନ, ମାତ ଶ୍ରୀରାମ ଚରିତ ।
‘ଶ୍ରୀରାମାୟଣ’ ଗ୍ରନ୍ଥରେ ହୋଇବ ବର୍ଣ୍ଣିତ ॥ ୪ ॥
ମହାସମୁଦ୍ର ପରାୟ ଏ ଗ୍ରନ୍ଥ ଲାଗଇ ।
ହୋଇବି କିପରି ପାର, କହ ମହାମାୟୀ ॥ ୫ ॥
ତୁମ କରୁଣାକୁ ମାତ ଭରସା କରିଛି ।
ତୁମ ଦୟା ହେଲେ ମାତ, ବାଧା ନାହିଁ କିଛି ॥ ୬ ॥
ଶତକୋଟି ନମସ୍କାର, ତୋ ଚରଣେ ମାତ ।
କଣ୍ଠେ ପଦ କହୁଥିବ, ହୃଦେ ଅବିରତ ॥ ୭ ॥
ରହିଥିବ ମାତ ମୋତେ କରିଣ କରୁଣା ।
ଆଶା ମୁଁ କରିଛି ଦୟା ନହୋଇବ ଊଣା ॥ ୮ ॥
ବନ୍ଦଇ ମୁଁ ଗଣନାଥ ଗଉରୀ ନନ୍ଦନ ।
ବକ୍ରତୁଣ୍ଡ ମହାକାୟ ବିଘ୍ନ ବିନାଶନ ॥ ୯ ॥
ବିଦ୍ୟାପତି, ବିଦ୍ୟାଦାତା, ବିଦ୍ୟାର ସାଗର ।
ତୁମ ପଦତଳେ ଦେବକୋଟି ନମସ୍କାର ॥ ୧୦ ॥
ବିନୟେ ବନ୍ଦୁଛି ଦେବ କରୁଣା କରିବ ।
‘ଶ୍ରୀରାମାୟଣ’ ଲେଖିବି ଦେବ ସାହା ହେବ ॥ ୧୧ ॥
ପଦ ପଦ ଲେଖିବାକୁ ବୁଦ୍ଧି ଦେଉଥିବ ।
ନ ଆସିଲା ପଦ ହୃଦେ ଉଦୟ କରିବ ।। ୧୨ ।।
ତୁମ ଦୟାବଳେ ଦେବ କବିର ଭାବନା ।
ଚାଲଇ ନିର୍ଦ୍ଦିଷ୍ଟ ମାର୍ଗେ ନୋହି ଆନମନା ।। ୧୩ ।।
ଦେବଙ୍କ ଅନୁରୋଧରେ ବ୍ୟାସଙ୍କ ନିମିତ୍ତ ।
ଲେଖନୀ ଚାଳନା କଲ ପ୍ରାଣୀଙ୍କର ହିତ ।। ୧୪ ।।
ମୋହଠାରେ କୃପା କରି ପ୍ରଭୁ ଦୟାମୟ ।
ରାମଚରିତ ଗ୍ରନ୍ଥକୁ ହୋଇବ ସହାୟ ।। ୧୫ ।।
ଝଙ୍କଡ଼ପୁର ବାସିନୀ ତୁ ମାତ ଶାରଳେ ।
ମୂର୍ଖ ପଣ୍ଡିତ ହୁଅଇ ତୁମ କୃପାବଳେ ।। ୧୬ ।।
ଶାରଳାଦାସଙ୍କୁ କୃପାକଲ ତୁମେ ମାତ ।
ରଚନା କଲେ ନିର୍ବିଘ୍ନେ ଶ୍ରୀ ମହାଭାରତ ।। ୧୭ ।।
ଉତ୍କଳରେ ଯେତେ କବି କାବ୍ୟ ଆରମ୍ଭିଲେ ।
ତୁମ ଆଶୀର୍ବାଦେ ମାତ ସର୍ବେ ସିଦ୍ଧି ହେଲେ ।। ୧୮ ।।
ମୁହିଁ ଦୀନ ଅକିଞ୍ଚନ ତୋ ଚରଣେ ଦାସ ।
ମଥାନତ କରି ଭିକ୍ଷା ମାଗୁଛି ବିଶେଷ ।। ୧୯ ।।
ରାମାୟଣ ଗ୍ରନ୍ଥେ ମାତ ଶ୍ରୀରାମ ଚରିତ ।
ବର୍ଣ୍ଣିବାକୁ ବହୁ ପୂର୍ବୁ ବଳାଇଲି ଚିତ୍ତ ।। ୨୦ ।।
ତାହା ପୂର୍ଣ୍ଣ ହେବ ମାତ ତୁମରି କୃପାରେ ।
ନିମିତ୍ତ ମାତ୍ର ମୁଁ ହେବି ଏହି ରଚନାରେ ।। ୨୧ ।।
ବାରମ୍ବାର ପଦତଳେ ଢାଳଇ ପ୍ରଣତି ।
ଅହେତୁକ କୃପା ରଖୁଥିବ ମୋହପ୍ରତି ।। ୨୨ ।।
ବିନୟେ ବନ୍ଦନା କରେ ଶିବ ପାର୍ବତୀଙ୍କୁ ।
ଦିଅନ୍ତୁ ଆଶୀଷ ଦ୍ୱୟେ ଗ୍ରନ୍ଥ ଲେଖିବାକୁ ।। ୨୩ ।।
ସମସ୍ତ ପୁରାଣ ଗ୍ରନ୍ଥ ଶିବଙ୍କ ମୁଖରେ ।
ରଚନା ହୋଇଛି ଯାହା ପାର୍ବତୀ ଶୁଣିଲେ ।। ୨୪ ।।
ରାମାୟଣ ଆଦ୍ୟ ପ୍ରାନ୍ତ ଶିବାଙ୍କୁ ଶୁଣାଇ ।
ରାମନାମ ମହିମାରେ ପୂର୍ଣ୍ଣକଲ ମହୀ ॥ ୨୫ ॥
ରାମ ନାମ ଜପ କରି ପ୍ରଭୁ ତ୍ରିଲୋଚନ ।
ମଙ୍ଗଳମୟ ଦେବତା, ଦେବ କାଶୀଧାମ ॥ ୨୬ ॥
ତୁମରି ପ୍ରଭାବେ କାଶୀଧାମେ ହେଲେ ମୃତ ।
ଯମଦଣ୍ଡ ସେ ଜୀବକୁ ନୁହଁଇ ପ୍ରାପତ ॥ ୨୭ ॥
ତୁମଠାରୁ ରାମଙ୍କର ପ୍ରିୟଜନ କେହି ।
ତ୍ରିପୁର ମଧ୍ୟରେ ଦେବ ସରିସମ ନାହିଁ ॥ ୨୮ ॥
ରାମାୟଣ ରଚନାରେ ବଳାଇଛି ମନ ।
ଏ ବିଷୟେ ତୁମକୃପା ମାଗୁଛି ଅଧୀନ ॥ ୨୯ ॥
ତୁମ୍ଭ କୃପା ବଳେ ପ୍ରଭୁ ଏ ଦୀନ ଜନର ।
ରାମାୟଣ ପଦ ହେବ ଉଦିତ ହୃଦର ॥ ୩୦ ॥
ହୋଇବ କରୁଣାମୟ, ଉତ୍ତମ ଭାବରେ ।
ପଦଛନ୍ଦ ଭରିଯିବ ମୋ ହୃଦ କନ୍ଦରେ ॥ ୩୧ ॥
ଲେଖନୀ ଚାଳନା ମାତ୍ର କରିବି ହେ ପ୍ରଭୁ ।
ତୁମରି ଦୟାରେ କାର୍ଯ୍ୟ ସିଦ୍ଧି ହେବ ସବୁ ॥ ୩୨ ॥
କୋଟି କୋଟି ପ୍ରଣାମ ମୁଁ କରେ ପଦତଳେ ।
ମୋ ଶିରେ ଚରଣ ରେଣୁ ପଡୁ ସବୁବେଳେ ॥ ୩୩ ॥
ଶ୍ରୀରାମ ନାମ ଜପରେ ଭକ୍ତ ଶିରୋମଣୀ ।
ଅଞ୍ଜନା ଦେବୀଙ୍କ ସୂତ ପ୍ରଭୁ ମହାଜ୍ଞାନୀ ॥ ୩୪ ॥
ରାମ ସୀତାଙ୍କ ନାମକୁ ଅହର୍ନିଶି ଜପ ।
କରି ପ୍ରଭୁ ଦେଖାଇଛ ଅତୁଳ ପ୍ରତାପ ॥ ୩୫ ॥
ଯେଉଁଠାରେ ରାମ ନାମ କଥା ହେଉଥାଏ ।
ସେଠାରେ ତୁମ ବିଜୟ ନିଶ୍ଚେ ହୋଇଥାଏ ॥ ୩୬ ॥
ଯେତେକାଳ ଚନ୍ଦ୍ର ସୂର୍ଯ୍ୟ ହେବେ ଆତଯାତ ।
କରୁଥିବ ରାମ ନାମ ପ୍ରଚାର ସତତ ॥ ୩୭ ॥
ହେ ପ୍ରଭୁ ମଙ୍ଗଳମୟ ପବନ ନନ୍ଦନ ।
ଲଭିବାକୁ ତୁମ୍ଭ କୃପା ବଳାଇଛି ମନ ॥ ୩୮ ॥

Leave a Reply

Your email address will not be published. Required fields are marked *